ଏଲୋଭେରା ହେଉଛି ଏକ ଆୟୁର୍ବେଦିକ ଉପାଦାନ । ଯାହା ଘରେ ଅତି ଛୋଟ ସ୍ଥାନରେ ମଧ୍ୟ ଆପଣ ଲଗାଇପାରିବେ । ଏଲୋଭେରା ନାଁ ଉଠିବା ମାତ୍ରେ ପ୍ରଥମେ ଆମ ମନରେ ସୌନ୍ଦର୍ଯ୍ୟ କଥା ଆସେ । କାରଣ ଏଲୋଭେରା ସାଧାରଣତଃ ତ୍ୱଚା ପାଇଁ ବ୍ୟବହୃତ ହୋଇଥାଏ । ହେଲେ ଏଲୋଭେରା ଖାଲି ତ୍ୱଚା ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଏବଂ ଭିଟାମିନ୍ ଏ, ସି, ଇ, ଫୋଲିକ୍ ଏସିଡ୍, କୋଲିନ୍ ପରି ପୋଷକ ତତ୍ତ୍ୱ ଏଲୋଭେରାରେ ମିଳିଥାଏ । ଯାହା ଶରୀରକୁ ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଯଦି ଆପଣଙ୍କର ଏହିସବୁ ସମସ୍ୟା ଅଛି, ତା'ହେଲେ ଭୁଲରେ ମଧ୍ୟ ଏଲୋଭେରା ଜୁସ ପିଅନ୍ତୁ ନାହିଁ । ନଚେତ୍ ଏହାର ପରିଣାମ ଭୟଙ୍କର ହୋଇପାରେ ।
- ପେଟ ସମସ୍ୟା- ଏଲୋଭେରା ଜୁସ ଅଧିକ ପିଇବା ଦ୍ୱାରା ପେଟ ସମସ୍ୟା ଦେଖା ଦେଇଥାଏ । ଯେପରିକି ଝାଡ଼ାରେ ସମସ୍ୟା ସୃଷ୍ଟି ହୋଇପାରେ ।
- ଦୁର୍ବଳ ଲାଗିବା: ଅଧିକ ପରିମାଣର ଏଲୋଭେରା ଜୁସ ପିଇବା ଦ୍ୱାରା ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ହୋଇପାରେ. ଯାହାଦ୍ୱାରା ଦୁର୍ବଳତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।
- ବ୍ଲଡ ସୁଗାର: ଏଲୋଭେରା ଜୁସ ରକ୍ତରେ ସୁଗାର ସ୍ତରକୁ ପ୍ରଭାବିତ କରିପାରେ । ତେଣୁ ଡାଇବେଟିସ ରୋଗୀମାନେ ଏହାକୁ ଦେଖିଚାହିଁ ପିଇବା ଉଚିତ୍।
- ଆଲର୍ଜି: କିଛି ଲୋକଙ୍କ ଏଲୋଭେରା ଜୁସରେ ଆଲର୍ଜି ହୋଇଥାଏ । ଏହାଦ୍ୱାରା ସେମାନଙ୍କ ତ୍ୱଚା କୁଣ୍ଡାଇ ହେବାସହ ଘା ’ଏବଂ ଫୁଲି ଯାଇପାରେ ।
- ଗର୍ଭବତୀ ମହିଳା ସାବଧାନ! ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ଏଲୋଭେରା ଜୁସ ପିଇବା ଠାରୁ ଦୂରେଇ ରହିବା ଉଚିତ୍ ।
- ଲିଭର: ଦୀର୍ଘ ସମୟ ଧରି ଏଲୋଭେରା ଜୁସ ପିଇବା ଦ୍ୱାରା ଲିଭର ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣଙ୍କର ଲିଭର ସମସ୍ୟା ରହିଛି, ଭୁଲରେ ମଧ୍ୟ ଏଲୋଭେରା ଜୁସ ପିଅନ୍ତୁ ନାହିଁ ।
- ଡିହାଇଡ୍ରେସନ୍: ଏଲୋଭେରା ଜୁସରେ ପ୍ରାକୃତିକ ଲକ୍ସାଟିଭ୍ ଗୁଣ ରହିଛି, ଯାହା ଶରୀରରୁ ଅଧିକ ଜଳ ବାହାର କରି ଡିହାଇଡ୍ରେସନ୍ ସୃଷ୍ଟି କରିଥାଏ ।