ସବୁ ଅପେକ୍ଷାର ଅନ୍ତ ଘଟିବା ସହ ଶେଷରେ ଦୀର୍ଘ ୪୬ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛି। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇ ଥିବାବେଳେ, ଆଜି ସକାଳେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି।  SOP ମୁତାବକ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ନେତୃତ୍ବରେ ୧୧ ଜଣିଆ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିଥିଲେ। ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ ।

ତେବେ ରତ୍ନଭଣ୍ଡାରର ମରାମତି ଅତ୍ୟନ୍ତ ଆବଶ୍ୟକ। କାରଣ ASI ଦାୟିତ୍ୱ ନେବା ପରଠୁ ରତ୍ନଭଣ୍ଡାରର ଆଉ ମରାମତି ହୋଇନି। ଖାଲି ଏତିକି ନୁହେଁ, ଶେଷ ଥର ପାଇଁ କେବେ ରତ୍ନଭଣ୍ଡାର ମରାମତି ହୋଇଥିଲା ତାହା ମଧ୍ୟ ଜଣାପଡ଼ିନି । ତେଣୁ ଏହାର ମରାମତି ଅତ୍ୟନ୍ତ ଆବଶ୍ୟକ ବୋଲି ଗଜପତି କହିଛନ୍ତି। 

ଏସବୁ ଭିତରେ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ରହିଛି କି ? ଏନେଇ ଚର୍ଚ୍ଚା ଜୋର ଧରିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ସୁଡ଼ଙ୍ଗ ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା କେବଳ ASI ଯାଞ୍ଚ ଦ୍ୱାରା ଜଣାପଡ଼ିବ । ଭିତର ଓ ବାହାର ରତ୍ନ ଭଣ୍ଡାର ସମ୍ପୂର୍ଣ୍ଣ ଖାଲି ହେବା ପରେ ଏନେଇ ଅନୁଧ୍ୟାନ ଆରମ୍ଭ କରାଯିବ। ଏଥିରୁ ଜଣାପଡୁଛି ସୁଡ଼ଙ୍ଗ ଚର୍ଚ୍ଚାକୁ ମହାରାଜା ସିଧାସଳଖ ଖଣ୍ଡନ କରିନାହାନ୍ତି  । ଏହାପରଠୁ ରହସ୍ୟମୟ ସୁଡ଼ଙ୍ଗ ସମ୍ପର୍କରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଆହୁରି ଉତ୍ସୁକତା ଦେଖିବାକୁ ମିଳିଛି ।

ସୂଚନାଥାଉ କି, ଗତ ରବିବାର ଯଦିଓ ବାହାର ରତ୍ନଭଣ୍ଡାର ସହଜରେ ଖୋଲିଥିଲା, ହେଲେ ଭିତର ଭଣ୍ଡାରର ତାଲା ଖୋଲିବାକୁ ନାକେଦମ୍ ହେବାକୁ ପଡ଼ିଥିଲା । ଶେଷରେ ୩ଟି ଯାକ ତାଲା ଭଙ୍ଗା ଯାଇଥିଲା । ଏହାପରେ ବାହାର ରତ୍ନଭଣ୍ଡାରର ଅଳଙ୍କାରକୁ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି, କେମିତି ସ୍ଥିତିରେ ଅଛି ଶ୍ରୀଜିଉଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ? କେଉଁ ଅବସ୍ଥାରେ ଅଛି ବର୍ଷ ବର୍ଷ ଧରି ରହସ୍ୟମୟ ହୋଇ ରହିଥିବା ଭଣ୍ଡାର ଘର ? ଏସବୁ ଜାଣିବା ପାଇଁ ଓଡ଼ିଶାବାସୀ ଦୀର୍ଘ ଦିନ ଧରି ଅପେକ୍ଷା କରି ଚାହିଁ ବସିଛନ୍ତି ।