ବର୍ଷା ଦିନରେ ଚଟପଟା ଖାଦ୍ୟ ଖାଇବାକୁ କାହାକୁ ବା ଭଲ ନଲାଗେ । ହେଲେ ବର୍ଷା ପାଗରେ ଘର ବାହାରକୁ ଯିବାକୁ ଆଦୌ ଇଚ୍ଛା ହୋଇନଥାଏ । ଯଦି ହାତ ପାଆନ୍ତାରେ ଘରେ ବସି ଖାଇବା ମିଳିଯାଏ ତା'ହେଲେ ଖୁସି କହିଲେ ନସରେ । ଆପଣେ ବି ଘରେ ବସି ଏହି ବର୍ଷା ପାଗର ମଜା ଉଠାଇ ପାରିବେ ଓ ଚଟପଟା ଖାଇବା ମଧ୍ୟ କରିକି ଖାଇପାରିବେ । ଆସନ୍ତୁ, ଜାଣିବା ଅତି ସହଜ ଉପାୟରେ ଘରେ କେମିତି ବନେଇବେ ଆଳୁ ଚାଟ୍...

ଆଳୁ ଚାଟ୍ ବନେଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ…

  • ସିଝା ଆଳୁ
  • ପିଆଜ
  • ଗୋଲମରିଚ
  • ଡାଲଚିନି
  • ଲବଙ୍ଗ
  • ଅଦା
  • ରସୁଣ
  • ଗାଜର
  • ବିଟ
  • ଟମାଟୋ
  • ଧନିଆ ପତ୍ର
  • ପାମ୍ପଡ଼
  • ଦହି
  • ଖଟା ଓ ମିଠା ତେନ୍ତୁଳି ଚଟଣି
  • ଗ୍ରୀନ ଚଟଣି
  • ସେଉ
  • ଭଜା ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡ
  • ପଞ୍ଚ ଫୁଟଣ
  • ହଳଦୀ
  • ଚାଟ ମସଲା
  • କଳା ଲୁଣ
  • ଲୁଣ
  • କାଶ୍ମୀର ଲଙ୍କା ଗୁଣ୍ଡ
  • ଟମାଟୋ ସସ
  • ତେଲ

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଆଳୁରୁ ଚୋପା ଛଡ଼ାଇ ଏହାକୁ ଅଳ୍ପ ଟିକେ ଚକଟି ଦିଅନ୍ତୁ । ଏହାପରେ ମସଲା ବନେଇବା ପାଇଁ ପିଆଜ, ଅଦା, ରସୁଣ ଓ ଗୋଟା ଗରମ ମସଲାକୁ ନେଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡରେ ପେଷ୍ଟ କରି ଦିଅନ୍ତୁ । କଢ଼େଇରେ ତେଲ ଗରମ କରି ଏଥିରେ ପଞ୍ଚ ଫୁଟଣ ଫୁଟାଇ ମସଲା ପେଷ୍ଟ ପକାନ୍ତୁ ଓ ଏଥିରେ ହଳଦୀ ଗୁଣ୍ଡ ଓ କାଶ୍ମୀର ଲଙ୍କା ଗୁଣ୍ଡ ପକାନ୍ତୁ । ଏହାପରେ ଏହାକୁ ଭଲ ଭାବରେ କଷି ଦିଅନ୍ତୁ । ମସଲା ଭଲ ଭାବରେ କଷି ହେଇସାରିଲା ପରେ କଟା ଟମାଟୋକୁ ପକାଇବା ସହ ଅଳ୍ପ ଟିକେ ପାଣି ଓ ଲୁଣ ପକାନ୍ତୁ । ଏହାକୁ ଅଧିକ ଟେଷ୍ଟ କରିବା ଲାଗି ଟମାଟୋ ସସ ଦେଇପାରିବେ । ମସଲା କଷିବା ବେଳେ ମଝିରେ ମଝିରେ ପାଣି ଦେବେ ।

ଫଳରେ ଏହା ଲାଗିବ ନାହିଁ କି ପୋଡ଼ିବ ନାହିଁ । ମସଲା ଭଲ ଭାବେ କଷି ହୋଇସାରିଲା ପରେ କଟା ବିଟକୁ ଏଥିରେ ପକେଇବେ, ଯାହାକି ଚାଟର କଲର ଆଣିବାରେ ସାହାଯ୍ୟ କରିବ । ଚକଟା ଯାଇଥିବା ଆଳୁକୁ ଏହି ମସଲାରେ ପକାଇ ଅଳ୍ପ ଟିକେ ମସଲା ଦେଇ କଷିବେ । ଏହାପରେ ଏହାକୁ ଅନ୍ୟ ଏକ ପାତ୍ରରେ କାଢ଼ି ଏହାକୁ ସଜେଇବା ପାଇଁ ଓ ଏହାର ଟେଷ୍ଟକୁ ଆହୁରି ଦ୍ବିଗୁଣିତ କରିବା ପାଇଁ ଏଥିରେ କଟା ପିଆଜ, ଗାଜର, ବିଟ, ଦହି, ତେନ୍ତୁଳି ଚଟଣି, ଗ୍ରୀନ ଚଟଣି, କଳା ଲୁଣ, ଜିରା ପାଉଡର, ଚାଟ ମସଲା, ପାମ୍ପଡ଼, ଧନିଆ ପତ୍ର, ସେଉ ଇତ୍ୟାଦି ପକାନ୍ତୁ । ଏବେ ପ୍ରସ୍ତୁତ ହେଇଗଲା ଚଟପଟା ଆଳୁ ଚାଟ୍…